ମାତ୍ର ପାଞ୍ଚ ଘଣ୍ଟାରେ ସରିଗଲା ବିଧାନସଭାର ମୌସୁମୀ ଅଧିବେଶନ। ନା ଆଲୋଚନା ହେଲା, ନା କିଛି ନିଷ୍କର୍ସ ବାହାରିଲା। ରାଜ୍ୟବାସୀ ଅପେକ୍ଷା କରିଥିଲେ, ଗଣତନ୍ତ୍ର ମନ୍ଦିରରେ ରାଜ୍ୟ ସ୍ବାର୍ଥ ସମ୍ପର୍କରେ କିଛି ବିତର୍କ ହେବ। ହେଲେ ମିଳିମିଶି ଗୃହକୁ ବନ୍ଦ କରିଦିଆଗଲା। ଏଥିପାଇଁ ପରସ୍ପରକୁ ଦୋଷ ଲଦାଲଦି ହେଉଛନ୍ତି ଶାସକ ଓ ବିରୋଧୀ।
ରାଜ୍ୟର ସ୍ବାର୍ଥ ସମ୍ପର୍କିତ ପୁଳା ପୁଳା ପ୍ରସଙ୍ଗ ଥିଲା । ଚାଷୀ ସମସ୍ୟା, ଆଇନ ଶୃଙ୍ଖଳା, ଦରଦାମ୍ ବୃଦ୍ଧି, ବର୍ଷା-ବନ୍ୟା କ୍ଷୟକ୍ଷତି, ଏମ୍ଏମ୍ଡିଆର୍, ପାଠ୍ୟ ପୁସ୍ତକ ଭଳି ବର୍ଣ୍ଣି ଇସ୍ୟୁ ଥିଲା । ଲାଗୁଥିଲା ଚର୍ଚ୍ଚା ହେବ, ବିଧାନସଭାରେ ନିଷ୍କର୍ସ ବାହାରିବ । ହେଲେ ବିଧାନସଭାରେ ବିଚିତ୍ର ଚିତ୍ର ଦେଖିବାକୁ ମିଳିଲା । ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ବିଧାନସଭାର ଗୃହ କାର୍ୟ୍ୟ । ନା ଗୋଟିଏ ଦିନ ପ୍ରଶ୍ନକାଳ ଚାଲିଲା, ନା ମୁଲତବି ଆଲୋଚନା ହେଲା । ଅବଶିଷ୍ଟ ୪ଟି କାର୍ୟ୍ୟ ଦିବସ ପୂର୍ବରୁ ଗୃହକୁ ମୁଲତିବ କଲେ ବାଚସ୍ପତି । ସବୁଠୁଁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୫ ଦିନରେ ୫ ଘଂଟା ଚାଲିଥିଲା ମୌସୁମୀ ଅଧିବେଶନ । ଶେଷ ଦିନରେ ମାତ୍ର କିଛି ଘଂଟା ଚାଲିଥିଲା ଗୃହ କାର୍ୟ୍ୟ । ଅନ୍ୟ ପଟେ ବିନା ବିରୋଧୀରେ ବିଧାନସଭାରେ ଚାରୋଟି ବିଲ ପାରିତ ହେଲା ।
ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ହଟ୍ଟଗୋଳ, ନାରାବାଜି ହଲ୍ଲାବୋଲରେ କମ୍ପିଥିଲା ବିଧାନସଭା। ଗୃହ ଭିତରେ କମ୍, ଗୃହ ବାହାରେ ଗର୍ଜିଥିଲେ ବିରୋଧୀ। ଗୃହ ଛାଡ଼ି ବିଜେଡି କେତେବେଳେ ଓଏମସି, କେତେବେଳେ ଲୋୟର ପିଏମଜି, ଆଉ କେତେବେଳେ ଏଜି ଛକରେ ପ୍ରତିବାଦ କରିଥିଲା। ସେହିପରି କଂଗ୍ରେସ ବିଧାୟକ ବିଧାନସଭାର ଗାନ୍ଧୀ ମୂର୍ତ୍ତି ତଳେ ରଣହୁଙ୍କାର ଦେଇଥିଲେ। ହେଲେ ଯେଉଁ ପ୍ରସଙ୍ଗରେ ଲଢ଼ୁଥିଲେ, ତାର କିଛି ନିଷ୍କର୍ସ ବାହାରିପାରିଲାନି। ଆଉ ଗୃହ ନଚାଲିବାକୁ ନେଇ ପରସ୍ପରକୁ କାଦୁଅ ଫିଙ୍ଗୁଛନ୍ତି ଶାସକ ଓ ବିରୋଧୀ। ବର୍ଷକୁ ୬୦ ଦିନ ଚାଲିବା କଥା ବିଧାନସଭା। ହେଲେ କଣ୍ଟ ପୂରିପାରୁନି। ଗୃହରେ ଗୋଟିଏ ନୂଆ ପରମ୍ପରା ଆରମ୍ଭ ହେଲାଣି। ଆଲୋଚନା ବିତର୍କ ବଦଳରେ କୋଳାହଳ ବାକବିତଣ୍ଡାକୁ ଅଧିକ ଗୁରୁତ୍ବ ଦେଉଛନ୍ତି ସଦସ୍ୟ।
