
ଭାବନ୍ତୁ, ଆପଣଙ୍କ ସାମ୍ନାରେ ହଠାତ୍ ଜଣେ ବ୍ୟକ୍ତି ଛାତିକୁ ଜାବୁଡ଼ି ଧରିଛନ୍ତି , ମୁହଁ ଫିକା ପଡ଼ିଗଲା ଏବଂ କିଛି ସମୟ ପରେ ତଳେ ପଡ଼ିଗଲେ । ଏଭଳି ପରିସ୍ଥିତିରେ ଭୟଭୀତ ନହୋଇ ତୁରନ୍ତ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ । ହାର୍ଟ ଆଟାକ୍ ସମୟରେ ପ୍ରତିଟି ସେକେଣ୍ଡ ଗୁରୁତ୍ୱପୂର୍ଣ୍ଣ । ତୁରନ୍ତ ମେଡିକାଲ୍ ସହାୟତା ମିଳିବା ସହ ପ୍ରାଥମିକ ଚିକିତ୍ସା ଦିଆଗଲେ ରୋଗୀଙ୍କ ଜୀବନ ବଞ୍ଚାଇବାର ସୁଯୋଗ ବଢ଼ିପାରେ ।

ହାର୍ଟ ଆଟାକ୍ କ’ଣ ?
ହୃଦୟକୁ ରକ୍ତ ଯୋଗାଉଥିବା ଧମନୀରେ ରକ୍ତ ପ୍ରବାହ ବାଧାପ୍ରାପ୍ତ ହେଲେ ହାର୍ଟ ଆଟାକ୍ ହୋଇଥାଏ । ଅନ୍ୟପକ୍ଷରେ, କାର୍ଡିଆକ୍ ଆରେଷ୍ଟ୍ରେ ହୃଦୟ ହଠାତ୍ ରକ୍ତ ପମ୍ପ କରିବା ବନ୍ଦ କରିଦିଏ । ଏଭଳି ସ୍ଥିତିରେ ବ୍ୟକ୍ତି ଚେତାଶୂନ୍ୟ ହୋଇପାରନ୍ତି ଏବଂ ସାଧାରଣ ଭାବେ ଶ୍ୱାସ ନେବା ବନ୍ଦ କରିପାରନ୍ତି । ଗୁରୁତର ହାର୍ଟ ଆଟାକ୍ରୁ କାର୍ଡିଆକ୍ ଆରେଷ୍ଟ୍ ମଧ୍ୟ ହୋଇପାରେ ।

ହାର୍ଟ ଆଟାକ୍ର ପ୍ରାରମ୍ଭିକ ଲକ୍ଷଣ
ହାର୍ଟ ଆଟାକ୍ର ଲକ୍ଷଣ ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ସମାନ ହୋଇନପାରେ । ଛାତିରେ ଚାପ, ଜକଡ଼ା, ଭାରିପଣ କିମ୍ବା ଯନ୍ତ୍ରଣା ଏହାର ଏକ ପ୍ରମୁଖ ଲକ୍ଷଣ । ଏହି ଯନ୍ତ୍ରଣା ଛାତିରୁ ହାତ, ପିଠି, ବେକ, ଜହ୍ନ କିମ୍ବା ପେଟ ପର୍ଯ୍ୟନ୍ତ ଯାଇପାରେ । ଏହା ସହ ଶ୍ୱାସକଷ୍ଟ, ଥଣ୍ଡା ଝାଳ, ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା କିମ୍ବା ହଠାତ୍ ଅସାଧାରଣ ଥକାପଣ ମଧ୍ୟ ଦେଖାଦେଇପାରେ । କେତେକ ଲୋକଙ୍କଠାରେ ହୃଦୟର ଧଡ଼କଣ ମଧ୍ୟ ଅସ୍ୱାଭାବିକ ହୋଇପାରେ ।
ହାର୍ଟ ଆଟାକ୍ ଆସିଲେ ପ୍ରଥମେ କ’ଣ କରିବେ ?
ହାର୍ଟ ଆଟାକ୍ର ଲକ୍ଷଣ ଦେଖାଦେଲେ ସର୍ବପ୍ରଥମେ ଆପାତକାଳୀନ ମେଡିକାଲ୍ ସେବା କିମ୍ବା ଆମ୍ବୁଲାନ୍ସକୁ ଫୋନ୍ କରିବା ଦରକାର । ରୋଗୀଙ୍କୁ ନିଜେ ଗାଡ଼ିରେ ହସ୍ପିଟାଲ୍ ନେବା ଅପେକ୍ଷା ଆମ୍ବୁଲାନ୍ସ ଡାକିବା ଅଧିକ ସୁରକ୍ଷିତ ।ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ ରୋଗୀଙ୍କୁ ଆରାମଦାୟକ ଭାବେ ବସାଇ ତାଙ୍କ ପିଠିକୁ ସପୋର୍ଟ ଦେବା ଉଚିତ । ରୋଗୀଙ୍କୁ ଅଯଥା ଚଲାଚଲି କରିବାକୁ ଦିଆଯିବା ଉଚିତ ନୁହେଁ। ବେକ ଓ ଛାତି ନିକଟରେ ଥିବା ଟାଇଟ୍ ପୋଷାକକୁ ଢିଲା କରିଦେଲେ ରୋଗୀଙ୍କୁ ଶ୍ୱାସ ନେବାରେ କିଛି ସହାୟତା ମିଳିପାରେ । ଏହି ସମୟରେ ରୋଗୀଙ୍କୁ ଭୟଭୀତ ନକରି ଶାନ୍ତ ରଖିବା ମଧ୍ୟ ଜରୁରୀ । ମେଡିକାଲ୍ ସହାୟତା ଆସୁଛି ବୋଲି ତାଙ୍କୁ ଆଶ୍ୱାସନ ଦିଅନ୍ତୁ । କେତେକ ହାର୍ଟ ଆଟାକ୍ ରୋଗୀଙ୍କୁ ଆସ୍ପିରିନ୍ ଚୋବାଇବାକୁ କୁହାଯାଇପାରେ। କିନ୍ତୁ ଆସ୍ପିରିନ୍ ସମସ୍ତଙ୍କ ପାଇଁ ନିରାପଦ ନୁହେଁ । ଆଲର୍ଜି, ରକ୍ତସ୍ରାବର ସମସ୍ୟା କିମ୍ବା ଅନ୍ୟ କୌଣସି ଚିକିତ୍ସାଜନିତ ବିପଦ ଥିଲେ ଏହା କ୍ଷତିକାରକ ହୋଇପାରେ । ତେଣୁ ଆପାତକାଳୀନ ମେଡିକାଲ୍ ଅପରେଟର କିମ୍ବା ଡାକ୍ତରଙ୍କ ପରାମର୍ଶ ଅନୁସାରେ ହିଁ ଏହା ଦିଆଯିବା ଉଚିତ । ରୋଗୀ ପୂର୍ବରୁ ହାର୍ଟ ରୋଗୀ ହୋଇଥିଲେ ଏବଂ ଡାକ୍ତର ନାଇଟ୍ରୋଗ୍ଲିସେରିନ୍ ଭଳି ଔଷଧ ନେବାକୁ ପରାମର୍ଶ ଦେଇଥିଲେ, ତେବେ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁସାରେ ତାହା ନିଆଯାଇପାରେ । କିନ୍ତୁ ଡାକ୍ତରଙ୍କ ପରାମର୍ଶ ବିନା ଅନ୍ୟ କାହାର ଔଷଧ ରୋଗୀଙ୍କୁ ଦେବା ଉଚିତ ନୁହେଁ । ଯଦି ରୋଗୀ ହଠାତ୍ ଚେତାଶୂନ୍ୟ ହୋଇଯାଆନ୍ତି ଏବଂ ସାଧାରଣ ଭାବେ ଶ୍ୱାସ ନେଉନାହାନ୍ତି, ତେବେ ତୁରନ୍ତ CPR ଆରମ୍ଭ କରିବା ଦରକାର। ଯଦି ନିକଟରେ AED ଅର୍ଥାତ୍ Automated External Defibrillator ଉପଲବ୍ଧ ଥାଏ, ତେବେ ଏହାର ଭଏସ୍ ନିର୍ଦ୍ଦେଶ ଅନୁସରଣ କରି ବ୍ୟବହାର କରାଯାଇପାରେ ।
ହାର୍ଟ ଆଟାକ୍ ସମୟରେ କ’ଣ କରିବେ ନାହିଁ ?
ହାର୍ଟ ଆଟାକ୍ର ଲକ୍ଷଣ ଦେଖାଦେଲେ ଆମ୍ବୁଲାନ୍ସ ଡାକିବାରେ କୌଣସି ବିଳମ୍ବ କରନ୍ତୁ ନାହିଁ । ଯନ୍ତ୍ରଣା ଆପେଆପେ ଠିକ୍ ହୋଇଯିବ ବୋଲି ଅପେକ୍ଷା କରିବା ମଧ୍ୟ ଠିକ୍ ନୁହେଁ । ଡାକ୍ତରଙ୍କ ପରାମର୍ଶ ବିନା କୌଣସି ଔଷଧ ଦିଅନ୍ତୁ ନାହିଁ । ରୋଗୀ ଚେତାଶୂନ୍ୟ ଥିଲେ ତାଙ୍କ ମୁହଁରେ ପାଣି, ଖାଦ୍ୟ କିମ୍ବା ଔଷଧ ଦିଅନ୍ତୁ ନାହିଁ । ହାର୍ଟ ଆଟାକ୍ରେ ଶୀଘ୍ର ଚିକିତ୍ସା ମିଳିବା ଅତ୍ୟନ୍ତ ଜରୁରୀ । ଛାତିରେ ଯନ୍ତ୍ରଣା, ହାତ କିମ୍ବା ଜହ୍ନକୁ ଯନ୍ତ୍ରଣା ଯିବା, ଶ୍ୱାସକଷ୍ଟ, ଥଣ୍ଡା ଝାଳ, ବାନ୍ତି କିମ୍ବା ହଠାତ୍ ଅସାଧାରଣ ଦୁର୍ବଳତା ଭଳି ଲକ୍ଷଣ ଦେଖାଦେଲେ ଅବହେଳା ନକରି ତୁରନ୍ତ ଆପାତକାଳୀନ ଚିକିତ୍ସା ସହାୟତା ନିଅନ୍ତୁ ।

