ପୁରୀ | Sanjasakal News*
*ଶ୍ରୀଜଗନ୍ନାଥ ଧାମ ପୁରୀ କେବଳ ଓଡ଼ିଶାର ଗୌରବ ନୁହେଁ, ସମଗ୍ର ଭାରତର ଆଧ୍ୟାତ୍ମିକ ପରିଚୟ। ଚାରିଧାମ ମଧ୍ୟରୁ ଗୋଟିଏ ଏହି ପବିତ୍ର ତୀର୍ଥକ୍ଷେତ୍ରକୁ ପ୍ରତିଦିନ ହଜାର ହଜାର ଭକ୍ତ ଓ ଦେଶ–ବିଦେଶରୁ ପର୍ଯ୍ୟଟକ ଦର୍ଶନ ପାଇଁ ଆସୁଛନ୍ତି। କିନ୍ତୁ ଯେଉଁ ସ୍ଥାନରୁ ଭକ୍ତଙ୍କ ଶ୍ରୀମନ୍ଦିର ଯାତ୍ରା ଆରମ୍ଭ ହୁଏ, ସେହି ସିଂହଦ୍ୱାର ସାମ୍ନାରେ ଥିବା ଉଠା ଶୌଚାଳୟର ଅବସ୍ଥା ଏବେ ଗଭୀର ଚିନ୍ତାର ବିଷୟ ପାଲଟିଛି।ସ୍ଥାନ ପରିଦର୍ଶନ ବେଳେ ଦେଖିବାକୁ ମିଳିଛି ଯେ, ଶୌଚାଳୟ ଚାରିପାଖରେ ଅପରିଷ୍କାର ପରିବେଶ, ତୀବ୍ର ଦୁର୍ଗନ୍ଧ ଓ ରକ୍ଷଣାବେକ୍ଷଣର ଅଭାବ ଭକ୍ତମାନଙ୍କୁ ଅସୁବିଧାରେ ପକାଉଛି। ଅନେକ ଶ୍ରଦ୍ଧାଳୁଙ୍କ କହିବା ଅନୁସାରେ, ଏଭଳି ପରିସ୍ଥିତି ପବିତ୍ର ଧାମର ମର୍ଯ୍ୟାଦା ସହିତ ଆଦୌ ସଙ୍ଗତିପୂର୍ଣ୍ଣ ନୁହେଁ।ପୁରୀକୁ ଆସୁଥିବା ପର୍ଯ୍ୟଟକମାନେ ମହାପ୍ରଭୁଙ୍କ ଦର୍ଶନ ସହିତ ଓଡ଼ିଶାର ସଂସ୍କୃତି, ସ୍ୱଚ୍ଛତା ଓ ଆତିଥ୍ୟର ଅନୁଭୂତି ନେଇ ଫେରନ୍ତି। କିନ୍ତୁ ସିଂହଦ୍ୱାର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଯଦି ଏଭଳି ଦୃଶ୍ୟ ଦେଖିବାକୁ ମିଳେ, ତେବେ ରାଜ୍ୟର ଛବି ଉପରେ ତାହାର ପ୍ରଭାବ ପଡ଼ିବା ସ୍ୱାଭାବିକ। ପ୍ରଶ୍ନ ଉଠୁଛି— ସ୍ୱଚ୍ଛ ପୁରୀର ପ୍ରତିଶ୍ରୁତି କେବଳ କାଗଜ କଲମରେ ସୀମିତ ରହିଯାଇଛି କି?ସ୍ଥାନୀୟ ବାସିନ୍ଦା ଓ ଭକ୍ତମାନଙ୍କ ଦାବି, ଏହି ଶୌଚାଳୟର ନିୟମିତ ସଫେଇ, ପର୍ଯ୍ୟାପ୍ତ ପାଣି ବ୍ୟବସ୍ଥା ଓ ଦୈନିକ ରକ୍ଷଣାବେକ୍ଷଣକୁ ଗୁରୁତ୍ୱ ଦିଆଯାଉ। ଶ୍ରୀମନ୍ଦିର ସାମ୍ନାରେ ଥିବା ପ୍ରତ୍ୟେକ ବ୍ୟବସ୍ଥା ବିଶ୍ୱସ୍ତରୀୟ ମାନର ହେବା ଉଚିତ ବୋଲି ସେମାନେ ମତ ରଖିଛନ୍ତି।**Sanjasakal News** ପକ୍ଷରୁ ପୁରୀ ପ୍ରଶାସନ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅନୁରୋଧ, ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ସ୍ଥାୟୀ ସମାଧାନ କରାଯାଉ। ମହାପ୍ରଭୁଙ୍କ ଧାମର ଗରିମା ଓ ଓଡ଼ିଶାର ସମ୍ମାନ ରକ୍ଷା ପାଇଁ ସ୍ୱଚ୍ଛତା ହିଁ ସବୁଠାରୁ ବଡ଼ ସେବା।
