ଭୁବନେଶ୍ଵର -: ଅବପାତ ଜନିତ ଲଗାଣ ବର୍ଷାରେ ସର୍ବାଧିକ ପ୍ରଭାବିତ ହୋଇଥିଲା ଦକ୍ଷିଣ ଓଡ଼ିଶା । ବର୍ଷା ଛାଡ଼ିବା ପରେ ସ୍ଵରନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲା ସହ ପଶ୍ଚିମ ଓଡ଼ିଶାର ଗୋଟିଏ ଜିଲ୍ଲା ପାଇଁ SRCଙ୍କ ପକ୍ଷରୁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲା ଗଞ୍ଜାମ, ଗଜପତି, ନବରଙ୍ଗପୁର ସହ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାକୁ ଅର୍ଥ ପ୍ରଦାନ କରିଛନ୍ତି SRC । ପ୍ରଦାନ କରାଯାଇଥିବା ଅର୍ଥରେ ଭାଙ୍ଗି ଯାଇଥିବା ଗୃହ ନିର୍ମାଣ, ଫସଲ କ୍ଷତି ଭରଣା ସହ ରିଲିଫ୍ କ୍ୟାମ୍ପ ଖର୍ଚ୍ଚ ତୁଲାଯିବ ।
କେଉଁ ଜିଲ୍ଲାକୁ କେତେ ସହାୟତା ?
ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ରାଜ୍ୟର ୪ ଜିଲ୍ଲା ପାଇଁ ମୋଟ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାକୁ ସର୍ବାଧିକ ୫ କୋଟି ଟଙ୍କା ଦିଆଯାଇଛି । ସେହିଭଳି ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୨ କୋଟି ଲେଖାଏଁ ଅର୍ଥ ରାଶି ପ୍ରଦାନ କରିଛନ୍ତି SRC । ଝାରସୁଗୁଡ଼ା ଜିଲ୍ଲାକୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ସହାୟତା ପ୍ରଦାନ ସହ ସମ୍ପୃକ୍ତ ଜିଲ୍ଲାପାଳଙ୍କ ପାଇଁ ସ୍ଵତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରଦାନ କରାଯାଇଥିବା ଅର୍ଥକୁ ସଠିକ୍ ଭାବେ ଯୋଗ୍ୟ ହିତାଧିକାରୀଙ୍କୁ ଦେବା ପାଇଁ କୁହାଯାଇଛି । ସହାୟତା ପ୍ରଦାନ ବେଳେ ସରକାରୀ ନିୟମର ଅନୁପାଳନ କଡ଼ାକଡ଼ି ଭାବେ କରିବାକୁ ହେବ । କେଉଁ ଆଧାରରେ କେତେ ଟଙ୍କା ଖର୍ଚ୍ଚ କରାଗଲା ତାର ରିପୋର୍ଟ ଜିଲ୍ଲାପାଳମାନେ SRCଙ୍କୁ ପ୍ରଦାନ କରିବେ ।
