ପାରଳାଖେମୁଣ୍ଡି -: ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା ପରେ ମୃତଦେହ ପୋଡ଼ି ଦେଇଥିବା ଅଭିଯୋଗ ଗଜପତି ଜିଲ୍ଲାର ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ମେରାମା ଗ୍ରାମର ରାମଚନ୍ଦ୍ର ମଳିକ। ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ସୂଚନାନୁସାରେ, ରାମଚନ୍ଦ୍ର ମଳିକ ଗାଁଠାରୁ ପ୍ରାୟ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ ଏକ କୁଡ଼ିଆ ଘର କରି ରହୁଥିଲେ। ସେଠାରେ ରହି ଚେରମୂଳି ଔଷଧ ଦ୍ୱାରା ଲୋକଙ୍କ ଚିକିତ୍ସା କରୁଥିବା କୁହାଯାଉଛି। କିଛିଦିନ ତଳେ ଗାଁର ଜଣେ ମହିଳା ଓ ଦୁଇ ମାସର ଶିଶୁର ମୃତ୍ୟୁ ଘଟିଥିଲା। ଏହି ଦୁଇ ମୃତ୍ୟୁ ପଛରେ ଗୁଣିଗାରେଡ଼ି ଥିବା ସନ୍ଦେହ କରି ରାମ ଚନ୍ଦ୍ରଙ୍କୁ କେତେକ ଲୋକ ଦାୟୀ କରୁଥିବା ଅଭିଯୋଗ ଉଠିଥିଲା।
ଏହାକୁ ନେଇ ଗାଁରେ ବୈଠକ ମଧ୍ୟ ହୋଇଥିବା ସୂଚନା ମିଳିଛି। ବୈଠକ ପରେ ରାମ ଚନ୍ଦ୍ରଙ୍କୁ ତାଙ୍କ କୁଡ଼ିଆ ଘର ନିକଟରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଏବଂ ପରେ ମୃତଦେହକୁ ପୋଡ଼ି ଦିଆଯାଇଥିବା ଅଭିଯୋଗ ଆସିଛି। ଖବର ପାଇ ମୋହନା ଥାନା ପୁଲିସ ଗାଁଠାରୁ ପ୍ରାୟ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରକୁ ଯାଇ ଘଟଣାସ୍ଥଳରେ ତଦନ୍ତ କରି ଫେରିଛି। ଘଟଣାର ପ୍ରକୃତ କାରଣ, ହତ୍ୟାରେ କେଉଁମାନେ ସମ୍ପୃକ୍ତ ଏବଂ ଗାଁ ବୈଠକର ଏହି ଘଟଣା ସହ କୌଣସି ସମ୍ପର୍କ ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରହିଛି। ଅଟକ ୫ ଜଣଙ୍କୁ ପଚରାଉଚରା ପରେ ଘଟଣାର ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ପକ୍ଷରୁ ଆଶା କରାଯାଉଛି।
